ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ

ମିଶନ ‘ସ୍ୱାଭିମାନ’ – ମର୍ଯ୍ୟାଦାର ସଂଗ୍ରାମ

ସମାଜ ଆଖିରେ ଯାହା କେବଳ ଗୋଟିଏ ଫାଇଲ୍, ସେହି ଫାଇଲ୍‌ର ପ୍ରତ୍ୟେକ ପୃଷ୍ଠାରେ ଲୁଚି ରହିଥାଏ ଜଣେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କର ଅକ୍ଲାନ୍ତ ପରିଶ୍ରମ, ଧୂଳିଧୂସର ପଦଯାତ୍ରା, ଝରଝର ବର୍ଷାରେ ଭିଜା ଭିଜା ଦିନ, ପ୍ରଚଣ୍ଡ ରୌଦ୍ର ତାପରେ କରାଯାଇଥିବା ମାପଚୁପ ଏବଂ ଅନେକ ନିଦ୍ରାହୀନ ରାତ୍ରିର କାହାଣୀ ।

ଦାଖଲ ଖାରଜ ମୋକଦ୍ଦମା ହେଉ କି ଜମି ଯାଞ୍ଚ, ବିପର୍ଯ୍ୟୟରେ କ୍ଷୟକ୍ଷତିର ଆକଳନ ହେଉ କି କ୍ଷତିପୂରଣ ପ୍ରସ୍ତାବ, ପେନ୍‌ସନ ଯାଞ୍ଚ ହେଉ କି ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣମୂଳକ ଯୋଜନାର ସଫଳ କାର୍ଯ୍ୟକାରିତା; ଏହାର ପ୍ରସ୍ତୁତି ଏବଂ ସଫଳ ରୂପାୟନ ପଛରେ ଅବିରତ ଭାବରେ ଛିଡ଼ା ହୋଇ ରହିଛନ୍ତି ରାଜସ୍ୱ କ୍ଷେତ୍ର ଅଧିକାରୀମାନେ । କିନ୍ତୁ ବିଡ଼ମ୍ବନାର ବିଷୟ, ସେମାନଙ୍କର କାର୍ଯ୍ୟ ଦୃଶ୍ୟମାନ ହେଉଥିବା ବେଳେ ମଧ୍ୟ ସେମାନଙ୍କର କଷ୍ଟ, ତ୍ୟାଗ ଓ ମାନବିକ ଅନୁଭୂତି ଅଦୃଶ୍ୟ ହୋଇ ରହିଯାଏ ।

ଆଜି ଅନେକ ରାଜସ୍ୱ ନିରୀକ୍ଷକ (RI) ଓ ସହକାରୀ ରାଜସ୍ୱ ନିରୀକ୍ଷକ (ARI) କେବଳ କାର୍ଯ୍ୟାଳୟ ସମୟରେ ନୁହେଁ, ରାତିରେ, ଛୁଟି ଦିନରେ, ପର୍ବପର୍ବାଣୀରେ ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । ସୀମିତ ସୁବିଧା ହେତୁ ନିଜ ପକେଟରୁ ଖର୍ଚ୍ଚ କରି ନିଜସ୍ୱ ଯାନବାହନରେ  ଶହ ଶହ କିଲୋମିଟର ଦୈନିକ ଯିବାଆସିବା କରୁଛନ୍ତି । ଏସବୁ ଆଜି ସେମାନଙ୍କର ଦୈନନ୍ଦିନ ଜୀବନର ଅଂଶ ପାଲଟିଯାଇଛି । ଯେତେବେଳେ ଅର୍ଦ୍ଧାଧିକ ପଦବୀ ଖାଲି ରହିଛି, ସେତେବେଳେ ଅବଶିଷ୍ଟ କର୍ମଚାରୀଙ୍କ କାନ୍ଧରେ ଦୁଇଗୁଣ, ତିନିଗୁଣ କାର୍ଯ୍ୟଭାର ଲଦି ଦିଆଯାଇଛି । ନୂଆ ନୂଆ ଯୋଜନା, ଅତିରିକ୍ତ ଦାୟିତ୍ୱ, ଅବାସ୍ତବ ସମୟସୀମା; ଏସବୁ ମିଶି ଜଣେ ଅଧିକାରୀଙ୍କ ଜୀବନକୁ କେବଳ କର୍ତ୍ତବ୍ୟର ଭାରରେ ନୁହେଁ, ମାନସିକ ଅବସାଦରେ ମଧ୍ୟ ଜର୍ଜରିତ କରୁଛି ।

କିନ୍ତୁ କେହି କେବେ ଭାବିଛନ୍ତି କି; ଏହି ଅଧିକାରୀଙ୍କର ମଧ୍ୟ ଗୋଟିଏ ପରିବାର ଅଛି ? ବୃଦ୍ଧ ବାପା-ମା’ ଅଛନ୍ତି, କୁନି କୁନି ପିଲାମାନେ ଅଛନ୍ତି, ସେମାନଙ୍କର ମଧ୍ୟ ସ୍ୱପ୍ନ ଅଛି, ସମୟର ଆବଶ୍ୟକତା ଅଛି, ବିଶ୍ରାମର ଅଧିକାର ଅଛି । ସେମାନେ ମଧ୍ୟ ରକ୍ତମାଂସର ମଣିଷ; କୌଣସି ନିରବଚ୍ଛିନ୍ନ ଭାବରେ ଚାଲୁଥିବା ଯନ୍ତ୍ର ନୁହଁନ୍ତି । ଭାରତୀୟ ସଂବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନର ସହିତ ବଞ୍ଚିବାର ଅଧିକାର ଦେଇଛି । ଯେଉଁମାନେ ରାଜ୍ୟର ପ୍ରଶାସନିକ ମେରୁଦଣ୍ଡ ଭାବେ ତୃଣମୂଳ ସ୍ତରରେ କାମ କରୁଛନ୍ତି, ସେମାନେ ମଧ୍ୟ ସେହି ସମ୍ମାନ, ସେହି ମର୍ଯ୍ୟାଦା ଓ ସେହି ମାନବିକ ବ୍ୟବହାର ପାଇବାକୁ ଯୋଗ୍ୟ ।

ଏହି ବିଶ୍ୱାସରୁ ଜନ୍ମ ନେଇଛି ‘ମିଶନ ସ୍ୱାଭିମାନ’; ଏହା କୌଣସି ସଂଘର୍ଷ ନୁହେଁ, ବରଂ ସମ୍ମାନର ଆହ୍ୱାନ; କୌଣସି ବିରୋଧ ନୁହେଁ, ବରଂ ମାନବିକତାର ଦାବି । ଏହି ଆନ୍ଦୋଳନର ଦାବିଗୁଡ଼ିକ ଅଯୌକ୍ତିକ ନୁହେଁ; ବରଂ ଏକ ସୁସ୍ଥ ପ୍ରଶାସନର ମୌଳିକ ଆବଶ୍ୟକତା ।

କଳା ବ୍ୟାଜ୍ ପରିଧାନ କିମ୍ବା ପ୍ରସ୍ତାବିତ ଗଣଛୁଟି କୌଣସି ପ୍ରତିବାଦର ଶେଷ ନୁହେଁ; ଏହା ହେଉଛି ଏକ ନୀରବ ଆବେଦନ—“ଆମ କଥା ଶୁଣନ୍ତୁ, ଆମ ଅବସ୍ଥାକୁ ବୁଝନ୍ତୁ, ଆମକୁ ମଧ୍ୟ ମଣିଷ ଭାବନ୍ତୁ ।”

ଓଡ଼ିଶା ଯେତେବେଳେ ବିକଶିତ, ଡିଜିଟାଲ୍ ଓ ଜନମୁଖୀ ପ୍ରଶାସନର ସ୍ୱପ୍ନ ଦେଖୁଛି, ସେତେବେଳେ ସେହି ସ୍ୱପ୍ନକୁ ସାକାର କରୁଥିବା କ୍ଷେତ୍ରସ୍ତରର ଅଧିକାରୀମାନଙ୍କର ଜୀବନ ମଧ୍ୟ ସମ୍ମାନଜନକ ହେବା ଆବଶ୍ୟକ । କାରଣ ଯେଉଁ ବ୍ୟବସ୍ଥା ନିଜର କର୍ମଚାରୀଙ୍କୁ ସମ୍ମାନ ଦେଇପାରେ ନାହିଁ, ସେହି ବ୍ୟବସ୍ଥା କଦାପି ଜନସାଧାରଣଙ୍କ ବିଶ୍ୱାସକୁ ଦୀର୍ଘସ୍ଥାୟୀ କରିପାରେ ନାହିଁ ।

                “ମିଶନ ସ୍ୱାଭିମାନ” କେବଳ ରାଜସ୍ୱ କ୍ଷେତ୍ର ଅଧିକାରୀମାନଙ୍କର ଆନ୍ଦୋଳନ ନୁହେଁ; ଏହା ମାନବିକତା, ସମ୍ମାନ ଓ ସୁଶାସନ ପାଇଁ ଏକ ନୈତିକ ଅଭିଯାନ । କାରଣ, ଏକ ଶକ୍ତିଶାଳୀ ପ୍ରଶାସନର ମୂଳଦୁଆର ହେଉଛି ଜଣେ ସମ୍ମାନିତ କର୍ମଚାରୀ । ଆଉ ଜଣେ ସମ୍ମାନିତ କର୍ମଚାରୀଙ୍କର ପ୍ରଥମ ପରିଚୟ ହେଉଛି ସେ ଜଣେ ମଣିଷ, ଯନ୍ତ୍ର ନୁହେଁ ।

Scroll to Top